'ବାଦଲ ଫଟା' ବର୍ଷା କଣ? କେତେ ପରିମାଣରେ ଏହା ହୋଇଥାଏ?
By:- Subrat Kumar Pattanayak 
ବାଦଲ ଫଟା ବର୍ଷା କଣ ଓ କେତେ ପରିମାଣରେ ଏହା ହୋଇଥାଏ? ଏହା ଦ୍ବାରା କଣ କ୍ଷତି ହୋଇଥାଏ ଆସନ୍ତୁ ଜାଣିବା ।
ବାଦଲ ହେଉଛି ଆକାଶରେ ଭାସୁଥିବା ପାଣି ବା ବରଫର କଣା। ଯେତେବେଳେ ପାଣି ବା ଜଳ ବାଷ୍ପ ରୂପରେ ବହୁତ ସୂକ୍ଷ୍ମ କଣା ହୋଇ ଆକାଶର ଉପର ତଳକୁ ପହଞ୍ଚି ଥଣ୍ଡା ବାୟୁ ସହିତ ମିଶି ଯାଆନ୍ତି ସେତେବେଳେ ସେଗୁଡ଼ିକୁ ବାଦଲ ବୋଲି କୁହାଯାଏ।
ଏବେ ଆସନ୍ତୁ ଜାଣିବା ଯେ ବାଦଲ ଫଟା କଣ ? 
ଯେତେବେଳେ କୌଣସି ଛୋଟ ଅଞ୍ଚଳରେ ଖୁବ୍ ଅଳ୍ପ ସମୟ ମଧ୍ୟରେ ଅତ୍ୟଧିକ ମାତ୍ରାରେ ବୃଷ୍ଟି ହୁଏ, ତେବେ ସାଧାରଣତଃ ଏହାକୁ ବାଦଲ ଫାଟିଯିବା ବା ବାଦଲ ଫଟା ବର୍ଷା ବୋଲି କୁହାଯାଏ। ଏଥିରେ ବାସ୍ତବରେ ବାଦଲ ଫାଟିଯିବା ପରି କିଛି ଘଟି ନଥାଏ କିନ୍ତୁ ବୃଷ୍ଟି ଏତେ ଜୋର୍ ରେ ହୁଏ, ଯେପରି ଆକାଶରେ ଅତିରିକ୍ତ ପାଣିରେ ଭର୍ତ୍ତି ଥିବା  ଏକ ବଡ଼ ପଲିଥିନ ଫାଟିଗଲା ପରି ଲାଗେ। ତେଣୁ ଏହାକୁ ବାଦଲ ଫଟା ଏବଂ ଇଂରାଜୀରେ 'Cloudburst' ବୋଲି କୁହାଯାଏ।
କେତେ ପରିମାଣ ରେ ଏହା ହୋଇଥାଏ? 
ପାଣିପାଗ ବିଭାଗ ଅନୁଯାୟୀ, ଯେତେବେଳେ ହଠାତ୍ ୨୦ ରୁ ୩୦ ବର୍ଗ କିଲୋମିଟର ଅଞ୍ଚଳ ମଧ୍ୟରେ ଗୋଟିଏ ଘଣ୍ଟା ବା ତା ଠାରୁ କମ୍ ସମୟରେ ୧୦୦ ମି .ମିି  (100mm)  ବା ତାଠାରୁ ଅଧିକ ବୃଷ୍ଟି ହୁଏ, ତେବେ ଏହାକୁ ବାଦଲ ଫଟା ବର୍ଷା (Cloudburst) ବୋଲି କୁହାଯାଏ। 
ସାଧାରଣତଃ ବର୍ଷା ଋତୁ ସମୟରେ ହିମାଳୟ ପାର୍ବତ୍ୟ ଅଞ୍ଚଳ, ପଶ୍ଚିମ ଘାଟ ଅଞ୍ଚଳ, ଉତ୍ତର ପାକିସ୍ତାନ ଇତ୍ୟାଦି ଅଞ୍ଚଳ ମାନଙ୍କରେ ଏହି ବାଦଲ ଫଟା ବର୍ଷା ବହୁଳ ମାତ୍ରାରେ ଦେଖିବାକୁ ମିଳେ । ତେବେ ଏହି ବର୍ଷା ଯେ କୌଣସି ସ୍ଥାନରେ ହୋଇପାରେ । 
କଣ କ୍ଷୟକ୍ଷତି ଘଟିଥାଏ?
ଏହି ବର୍ଷା ଦ୍ଵାରା ବ୍ୟାପକ କ୍ଷୟକ୍ଷତି ଘଟିଥାଏ। ପାର୍ବତ୍ୟ ଅଞ୍ଚଳରେ ଏହି ବର୍ଷା ହେଉଥିବାରୁ ପାହାଡ଼ ଉପରେ ଗଢ଼ି ଉଠିଥିବା ସହର ଗ୍ରାମ ଗୁଡ଼ିକୁ ହଠାତ୍ ଅତି ଅଳ୍ପ ସମୟ ମଧ୍ୟରେ ବନ୍ୟା ଆସି ଭସାଇ ନେଇଥାଏ । ଏହି ବନ୍ୟାରେ ପାଣି ସଙ୍ଗେ ସଙ୍ଗେ ପାହାଡ଼ ପର୍ବତର ବଡ଼ ବଡ଼ ଭଙ୍ଗା ଗଛ ଓ ପଥର, ମାଟି ଇତ୍ୟାଦି ଆବର୍ଜନା ମଧ୍ୟ ମିଶିକରି ଥାଏ । ତେଣୁ ବ୍ୟାପକ କ୍ଷତି ଘଟାଇ ଥାଏ ଏହି ବନ୍ୟା । ବେଳେ ବେଳେ ସହର ବା ଗ୍ରାମ ଗୁଡ଼ିକ ଏହି ଆବର୍ଜନା ମଧ୍ୟରେ ପୋତି ହୋଇପଡ଼ନ୍ତି। ଘଟଣା ସ୍ଥଳ କୁ ଯିବା ପାଇଁ ମଧ୍ୟ ବେଶୀ ସୁବିଧା ଉପଲବ୍ଧ ନଥାଏ । ଯାହାଫଳରେ ଲୋକଙ୍କ ନିକଟରେ ହଠାତ୍ କୌଣସି ସାହଯ୍ୟ ମଧ୍ୟ ପହଞ୍ଚାଯାଇପାରିନଥାଏ ଓ ଜନଜୀବନ ର  ବହୁଳ ମାତ୍ରାରେ କ୍ଷତି ଘଟିଥାଏ। 
ସୁରକ୍ଷା :- 
ଯଦି ଆପଣ ମାନେ ଏହିଭଳି ସ୍ଥାନରେ ବସବାସ କରୁଥାନ୍ତି କିମ୍ୱା ଏଭଳି ସ୍ଥାନକୁ ଆଗାମୀ ଦିନରେ ଯିବାର ଥାଏ ତେବେ ଆଗୁଆ ସେହି ଅଞ୍ଚଳର ପାଣିପାଗ ବିଷୟରେ ସମ୍ପୁର୍ଣ୍ଣ ତଥ୍ୟ ସର୍ବଦା ନିଜ ପାଖରେ ରଖନ୍ତୁ । ପାଣିପାଗ ସୂଚନା ବିଷୟରେ ସବୁ ବେଳେ up-to-date ରୁହନ୍ତୁ। 
#cloudburst #heavyrain #rain #uttarakhand #uttarkashi

